Breaking News

ପ୍ରଥମ ଟେଷ୍ଟମ୍ୟାଚ୍‌ ୩୧୮ ରନରେ ଜିତିଲା ଭାରତ

Date:26-08-2019




ନର୍ଥ ସାଉଣ୍ଡ୍ : ବିପୁଳ ବିଜୟ ସହ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ତା’ର ଅଭିଯାନ ଆରମ୍ଭ କରିଛି। ଅଜିଙ୍କ୍ୟ ରାହାଣେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଭାରତ ୩୧୮ ରନ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି।
୨ୟ ଇନିଂସରେ ୪୧୯ ରନ୍‌ର ବିଜୟଲକ୍ଷ୍ୟର ପିଛା କରିଥିବା ୱେଷ୍ଟଇଣ୍ଡିଜ୍ ରବିବାର ୪ର୍ଥ ଦିନରେ ମାତ୍ର ୧୦୦ ରନ୍‌କରି ଅଲ୍‌ଆଉଟ ହୋଇଛି। ଫଳରେ ଭାରତ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ଅପରାଜେୟ ୧-୦ ଲିଡ୍‌ ନେଇପାରିଛି। ଆସନ୍ତା ୩୦ରୁ ଉଭୟ ଦଳଙ୍କ ମଧ୍ୟରେ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଆରମ୍ଭହେବ। ଏହି ମ୍ୟାଚ୍ ଜିତି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଭାରତ ୬୦ ପଏଣ୍ଟ ପାଇଛି।
ପ୍ରଥମ ଇନିଂସରେ ୭୫ ରନ୍ ଆଗରେ ରହିଥିବା ଭାରତ ୭ ୱିକେଟରେ ୩୪୩ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ୱେଷ୍ଟଇଣ୍ଡିଜ୍‌କୁ ୨ୟ ଇନିଂସରେ ୪୧୯ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଏହାପରେ ୱେଷ୍ଟଇଣ୍ଡିଜ୍ ଦୟନୀୟ ସ୍ଥିତିରେ ଇନିଂସ ଅାରମ୍ଭ କରିଥିଲା। ବିଶେଷକରି ଯଶପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂ ସମ୍ମୁଖରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ନିରୁତ୍ତର ହୋଇ ଯାଇଥିଲେ। ଦଳର ପ୍ରଥମ ୫ ବ୍ୟାଟ୍‌ସମ୍ୟାନ୍ ଏକ ଅଙ୍କ ସ୍କୋର୍‌ରେ ଆଉଟ ହୋଇଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍‌ ୧, ଜନ୍ କ୍ୟାମ୍ପବେଲ ୭, ସାମ୍‌ରା ବ୍ରୁକ୍‌ସ ୨, ଡ୍ୟାରେନ୍ ବ୍ରାଭୋ ୨ ଓ ସିମ୍ରନ୍ ହେତ୍‌ମେୟର ୧ ରନ୍‌କରି ବିଦାୟ ନେଇଥିଲେ। ପରେ ସାଇ ହୋପ୍ ୨ ଓ ଅଧିନାୟକ ଜେସନ୍ ହୋଲ୍‌ଡର ୮ ରନ୍‌କରି ଆଉଟ ହୋଇଥିଲେ। ଦୀର୍ଘ ସମୟ ବ୍ୟାଟିଂ କରିଥିବା ରୋଷ୍ଟନ୍ ଚେଜ୍ ୧୨ ରନ୍ କରି ବିଦାୟ ନେଇଥିଲେ। କିମାର ରୋଚ୍ ୫ଟି ଛକା ସହ ସର୍ବାଧିକ ୩୮ ରନ୍ କରିଥିଲେ। ଯଶପ୍ରୀତ ବୁମ୍‌ରା ୫ଟି, ଈଶାନ୍ତ ଶର୍ମା ୩ଟି ଓ ମହମ୍ମଦ ସାମି ୨ଟି ୱିକେଟ ନେଇଥିଲେ।
୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୩ ୱିକେଟ ହରାଇ ୧୮୫ ରନ୍ କରିଥିଲା। ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ୪ର୍ଥ ୱିକେଟ ପାଇଁ ୧୦୬ ରନ୍ ଯୋଗ କରିଥିଲେ। କୋହଲି ୧୧୩ ବଲ୍‌ରୁ ୨ଟି ଚୌକା ସହ ୫୧ ରନ୍ କରିଥିଲେ। ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଚମତ୍କାର ବ୍ୟାଟିଂ କରିଥିଲେ। ରାହାଣେ ୫ଟି ଚୌକା ସହ ୧୦୨ ଓ ହନୁମା ବିହାରୀ ବିହାରୀ ଗୋଟିଏ ଛକା ଓ ୧୦ଟି ଚୌକା ସହ ୯୩ ରନ୍ କରିଥିଲେ। ରାହାଣେଙ୍କର ଏହା ୧୦ମ ଟେଷ୍ଟ ଶତକ। ୨ ବର୍ଷ ପରେ ରାହାଣେଙ୍କ ଏହା ପ୍ରଥମ ଶତକ। ରୋଷ୍ଟନ୍ ଚେଜ୍ ୪ଟି ୱିକେଟ ନେଇଥିଲେ।

Latest News