Breaking News

ପୋଖରୀ ପାଣିରେ ବୁଡ଼ି ଯୁବକର ମୃତ୍ୟୁ

Date:06-08-2020



ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବନହରପାଲି ଥାନା ସରଣ୍ଡାମଲ ପନ୍‌ଚାୟତ ଅନ୍ତର୍ଗତ କିରାରମା ଗ୍ରାମ ନିକଟସ୍ଥ ଏକ ପୋଖରୀ ପାଣିରେ ବୁଡ଼ିଯାଇ ସେହି ଗ୍ରାମର ଜଣେ ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ କିରାରମା ଗ୍ରାମର ରୁଦ୍ର ପଧାନଙ୍କ ପୁଅ ଯଦୁମଣୀ ପଧାନ (୨୩) ବୋଲି ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ୭ଟାରେ ଯଦୁମଣି ତାଙ୍କ ଘର ନିକଟସ୍ଥ ପୋଖରୀ ହୁଡ଼ାରେ ବସିଥିବା ଗ୍ରାମର କେତେକ ବ୍ୟକ୍ତି ଦେଖିଥିଲେ । ଘରୁ ବାହାରିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଯଦୁମଣି ଘରକୁ ଫେରିନଥିଲେ । ରାତ୍ର ପ୍ରାୟ ୯ଟାରେ ସେହି ପୋଖରୀ ପାଣିରେ ଯଦୁମଣି ଅଚେତ୍ ଅବସ୍ଥାରେ ଭାସୁଥିବା କେତେକ ସ୍ଥାନୀୟ ଲୋକ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ଯଦୁମଣିଙ୍କୁ ପାଣିରୁ ଉଦ୍ଧାର କରିବା ସହ ବେଲପାହାଡ଼ ସ୍ଥିତ ଟିଆରଏଲ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଯଦୁମଣି ସମସ୍ତ ଡାକ୍ତରୀ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ଫାଣ୍ଡି ଅଧିକାରୀ ଅଶୋକ ଦାସ ଟିଆରଏଲ ଡାକ୍ତରଖାନାକୁ ପହଂଚି ମୃତ ଯଦୁମଣିଙ୍କ ଶବ ଜବତ କରିଥିଲେ । ବନହରପାଲି ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ମୃତ ଯଦୁମଣିଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ମୃତ ଯଦୁମଣି ପୋଖରୀ ହିଡ଼ରେ ବସିଥିବା ସମୟରେ କାଳେ ଅସାବଧାନକତା ହେତୁ ପାଣିରେ ଖସି ବୁଡ଼ିଯିବା ଫଳରେ ତାଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି । ଏହି ଖବର ପ୍ରଚାରିତ ହେବା ପରେ କିରାରମା ଅଂଚଳରେ ଶୋକର ବାତାବରଣ ଖେଳିଯାଇଛି । ତେବେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣକୁ ନେଇ ଅଧିକ ତଥ୍ୟ ମିଳିପାରିବ । ପ୍ରକାଶ ଥାଉକି ଯେ, ଏହା ପୂର୍ବରୁ ଗତ ଜୁଲାଇ ୩୧ ଶୁକ୍ରବାର ଦିନ ଏହି କିରାରମା ଗ୍ରାମ ସ୍ଥିତ ଅଲେଖ ମହିମା ଆଶ୍ରମର କୂଅରୁ ବାବା ଚନ୍ଦ୍ରମଣି ଦାସ (୯୦)ଙ୍କ ଅର୍ଦ୍ଧ ଗଳିତ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା । ତେବେ ଏହି ଗ୍ରାମରେ ମାତ୍ର ୬ ଦିନ ମଧ୍ୟରେ ପୃଥକ ଦୁଇ ଅପମୃତ୍ୟୁ ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।

Latest News