Breaking News

ଖଣି ଖାଦାନରେ ୧୪୪ ଧାରା ଜାରିକୁ ବିରୋଧ: ରେଞ୍ଜ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

Date:01-10-2019



ଓଜସ୍ଵୀ ବ୍ୟୁରୋ: ଖୁଣ୍ଟା ତହସିଲ ଅଧିନ ତଥା ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ବେଆଇନ ଖଣି ଖାଦାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୋମବାର ଏହାକୁ ବିରୋଧ କରି ଶିମିଳିପାଳ ପାଦଦେଶରେ ଥିବା ଗ୍ରାମବାସୀମାନେ ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ବନଖଣ୍ଡ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲଧରା ସିଂ, ଚନ୍ଦ୍ରମୋହନ ସିଂ, ଟୁନା ସିଂ, ମଙ୍ଗଳ ସିଂ ଓ କୈଳାସ ସିଂ ପ୍ରମୁଖ ସମେତ ଶତାଧିକ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଶିମିଳିପାଳ ତଳିଆ ଅଞ୍ଚଳ ତଥା ଖୁଣ୍ଟା ଓ ବଡ଼ସାହି ଥାନା ଅଧୀନ ୧୧ଟି ଗ୍ରାମର ବାସିନ୍ଦା ସାମିଲ ହୋଇଥିଲେ। ଦିନ ପ୍ରାୟ ୧୨ ଟା ସମୟରେ ଗ୍ରାମବାସୀମାନେ ଡୁକୁରା ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖିଥିଲେ। ସେମାନେ ତାଲାକୁ ଭାଙ୍ଗି କାର୍ଯ୍ୟାଳୟ ପରିସରକୁ ଧସେଇ ପଶିିଯାଇଥିଲେ। ଖବର ପାଇ ଡୁକୁରା ଫାଣ୍ଡି ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଗ୍ରାମବାସୀମାନେ ଡେପୁଟି ରେଞ୍ଜ ଅଧିକାରୀ କେଦାର ନାଥ ମଲିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ଦାବି ଅନୁଯାଇ ସେମାନେ ଚାଷ ଉପରେ ନିର୍ଭର କରି ଚଳିଆସୁଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ । ଏ ସମ୍ପର୍କରେ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଜଳସେଚନର କୌଣସି ସୁବିଧା କରାଯାଇ ନାହିଁ। ଫଳରେ ବିଭିନ୍ନ ସମୟରେ ବର୍ଷାର ଅନିୟମିତତା ଯୋଗୁଁ ଚାଷ କାର୍ଯ୍ୟ ଠିକ ଭାବେ ହୋଇପାରୁନାହିଁ। ଗ୍ରାମବାସୀମାନେ ଗ୍ରାମ୍ୟ ଜଙ୍ଗଲରୁ ମୁଗୁନି ପଥର ସଂଗ୍ରହ କରିବା ସହିତ ସେଗୁଡିକୁ ବିକି ପରିବାର ଚଳାଇ ଆସୁଥିଲେ। ମାତ୍ର ଗତ ଅଗଷ୍ଟ ମାସରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯିବା ପରେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ତୁରନ୍ତ ୧୪୪ ଧାରା ହଟାଯାଉ ବୋଲି ଗ୍ରାମବାସୀ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଡିଏଫଓ ସ୍ବୟମ ମଲ୍ଲିକଙ୍କୁ ପଚାରିବାରୁ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ଓ ଗ୍ରାମବାସୀଙ୍କ ଦାବି ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି

Latest News