Breaking News

ଦ. ଆଫ୍ରିକା ବିପକ୍ଷ ଟି-20 ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ

Date:30-08-2019




ଓଜସ୍ଵୀ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ଶୃଙ୍ଖଳା ପାଇଁ 15 ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି। ସବୁଠୁ ବଡ଼ କଥା ଏହି ଶୃଙ୍ଖଳା ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି। ଦ୍ରୁତ ବୋଲର ଭୁବନେଶ୍ଵର କୁମାରଙ୍କୁ ମଧ୍ୟ 15 ଜଣିଆ ଦଳରୁ ବାଦ୍ ଦିଆଯାଇଛି। 
ମୋଟ୍ ଉପରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-20 ଶୃଙ୍ଖଳାକୁ 3-0ରେ ଜିତିଥିବା ଟି-20 ଦଳରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଅଧିକାଂଶ ଖେଳାଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପାଇଁ ନିଜ ସ୍ଥାନ ବଜାୟ ରଖିଛନ୍ତି।   ଋଷଭ ପନ୍ତଙ୍କୁ ହିଁ ଓ୍ଵିକେଟ୍ କିପର ରୂପେ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଏହି ଟି-20 ଶୃଙ୍ଖଳା ପାଇଁ ବିଶ୍ରାମ ଦିଆଯାଇଛି। 
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ  ତିନି ମ୍ୟାଚ୍ ବିଶିଷ୍ଟ ଟି-20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର 15ରେ ଧର୍ମଶାଳାରେ ଖେଳାଯିବ। ଦ୍ଵିତୀୟ ଟି-20 ସେପ୍ଟେମ୍ବର 18ରେ ମୋହାଲି ଓ ତୃତୀୟ ଟି-20 ସେପ୍ଟେମ୍ବର  22ରେ ବେଙ୍ଗାଲୁରୁରେ ଖେଳାଯିବ। ଟି-20 ଶୃଙ୍ଖଳା ପରେ  ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। 

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ଶୃଙ୍ଖଳା ପାଇଁ ଭାରତୀୟ ଦଳ 
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ଵନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, କୃଣାଲ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର, ନବଦୀପ ସୈନୀ।  

Latest News