Breaking News

ଅର୍ଦ୍ଧସୈନିକ ବଳ ୬୦ ବର୍ଷରେ ନେବେ ଅବସର

Date:20-08-2019



ଅର୍ଦ୍ଧସୈନିକ ବଳ କର୍ମୀ ୬୦ ବର୍ଷ ବୟସରେ ନେବେ ଅବସର:
ଓଜସ୍ଵୀ ନୂଆଦିଲ୍ଲୀ: ଅର୍ଦ୍ଧସୈନିକ ବଳ କର୍ମୀ ଏଣିକି ୬୦ ବର୍ଷ ବୟସରେ ଅବସର ନେବେ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ସୋମବାର ଜଣାପଡ଼ିଛି । ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଆଦେଶରେ କୁହାଯାଇଛି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ), ସୀମା ସୁରକ୍ଷା ବଳ, ଭାରତ-ତିବତ ସୀମା ପୋଲିସ (ଆଇସିବିପି), ସଶସ୍ତ୍ର ସୀମା ବଳର ସମସ୍ତ କର୍ମଚାରୀଙ୍କ ଅବସର ବୟସ ୬୦ କରି ଦିଆଯାଇଛି । ପୂର୍ବରୁ କିଛି ପଦବୀ ଓ କର୍ମଚାରୀଙ୍କ ପାଇଁ ବୟସ ସୀମା ୫୭ ବର୍ଷ ଥିଲା । 
ଏହି ମାମଲା ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ସହିତ ଜଡ଼ିତ, ଯେଉଁଥିରେ କୋର୍ଟ ୪ଟି ବିଭାଗର ଅବସର ବୟସ ସୀମା ପାଇଁ ଭିନ୍ନ ଭିନ୍ନ ନୀତିକୁ ଅସାମ୍ବିଧାନିକ ଦର୍ଶାଇଥିଲେ । ବର୍ତ୍ତମାନ ନୀତି ଅନୁସାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ଆସାମ ରାଇଫଲ୍ସର ଯବାନମାନେ ୬୦ ବର୍ଷ ବୟସରେ ଅବସର ନେଉଥିଲେ । ସିଆରପିଏଫ, ବିଏସଏଫ, ଆଇଟିବିପି ଓ ଏସଏସବିରେ କନଷ୍ଟେବଳରୁ କମାଣ୍ଡର ସ୍ତର ଯାଏଁ ସମସ୍ତ କର୍ମିଙ୍କର ଅବସର ବୟସ ୫୭ ବର୍ଷ କିନ୍ତୁ ଉଚ୍ଚ ଅଧିକାରୀଙ୍କ ଅବସର ସମୟ ୬୦ ବର୍ଷ । 
ଗୃହ ମନ୍ତ୍ରାଳୟର ଆଦେଶରେ କୁହାଯାଇଛି ଯେ, ସମସ୍ତ ବଳକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ଅଦାଲତର ଆଦେଶକୁ ପାଳନ କରନ୍ତୁ । ଏହି ଅର୍ଦ୍ଧସୈନକ ବଳକୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି । ଏମାନେ ସୀମା ଉପରେ ନଜର, ଆତଙ୍କବାଦୀ ଓ ନକ୍ସଲ-ବିରୋଧୀ ଅଭିଯାନ ଓ ଆଇନ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖିଥାନ୍ତି । 

Latest News